
(A Story by- Prabhukalyan Mishra)
-“ବୁଲୁ ଭାଇନା ଗୋଟେ ଚାହା ଦେଲ।”
– “ଆରେ ମିଶ୍ର ସାରେ ! ଆଜି କଣ ସୂର୍ଯ୍ୟ ପଶ୍ଚିମରେ ! ସକାଳୁ ସକାଳୁ ମୋ ଦୋକାନ ଆଡେ ମାଡ଼ି ଆସିଲ ଯେ ?”
-” ନାଇଁ ମ ଭାଇନା। ସେମିତି କିଛି ନୁହେଁ। ବୋଉର ଦେହ ଟିକେ ଭଲ ନାହିଁ ତ। ସକାଳୁ ଉଠି ପାରିନି। ମୋର କ୍ଲାସ୍ ପାଇଁ ଡେରି ହଉଥିଲା। ସେଣେ ପିଲେ ଅପେକ୍ଷା କରିଥିବେ। ତର ତର ହେଇ ବାହାରି ଆସିଲି ଆଉ।”
ସବୁଦିନ କ୍ଲାସ୍ ସାରି ଫେରିବା ବେଳେ ବୁଲୁ ଭାଇନା ଦୋକାନରେ ଚାହା ଟିକେ ନ ପିଇଲେ ଦିନଟା କେମିତି ଗୋଟେ ଅସମ୍ପୂର୍ଣ୍ଣ ଲାଗେ। କିନ୍ତୁ ଆଜି ଟିକେ ଅଲଗା ଥିଲା।
ସନ୍ଧ୍ୟା ପରିବର୍ତ୍ତେ ସକାଳେ ହାଜର ହୋଇ ଯାଇଥିଲି। ଚାହା ପିଇବା ସମୟରେ ଅଚାନକ ପଛପଟୁ କିଏ ଗୋଟେ ପାଟି କଲା, “ସାନବାବୁ ନମସ୍କାରେ।” ଆଖି ପଡ଼ିଗଲା ସୁଦର୍ଶନ ଉପରେ। ସୁଦର୍ଶନ ଆମ ଘରେ ପିଲା ଦିନରୁ କାମ କରୁଥିଲା। ମତେ କୁଆଡେ ବହୁତ୍ କାଖେଇଛି ବୋଲି ଶୁଣିଛି। ମନେ ନାହିଁ ମୋର। କିନ୍ତୁ ପିଲା ଦିନରୁ ତାକୁ ଦେଖି ଆସିଛି। ତା ସହ ବହୁତ୍ ବୁଲିଛି ସାଇକେଲ ରେ ବସି। ୫ବର୍ଷ ତଳେ ଅଧିକ ରୋଜଗାର ଆଶାରେ ସାଙ୍ଗ ମାନଙ୍କ ସହ ମିଶି ସୁରଟ ପଳେଇଥିଲା। ଅଚାନକ ସୁଦର୍ଶନକୁ ଦେଖି ଟିକେ ଆଶ୍ଚର୍ଯ୍ୟ ଲାଗିଲା। “କିଓ ସୁଦର୍ଶନ! ତମେ କଣ ଗାଁରେ? ସୁରଟ ରୁ କେବେ ଆସିଲ? ହଉ ଆସ ଚାହା ପିଇବ।”
“ମୁଁ ମାସେ ହେଲା ଆଇଲେଣି। ଇଏ କରୁନା କଣ ଗୋଟେ ମାଡ଼ୁଛି। ତଡିଦେଲେ କୁମ୍ପାନି ବାଲା। ଗରିବ ନୋକ। ଛାଟିପିଟି ହେଇ ପଳେଇ ଆଇଲି ଘରୁକୁ। ଏ ଅଜଣା ରୋଗ କେତେ କାହା ସଂସାର ଉଜାଡି ଦେଲେଣି। ମନଟା ସମ୍ଭାଳି ହେଲାନି ଜମା। ପଳେଇ ଅାଇଲି।”
“ଆଉ ଏବେ କଣ କରୁଛ?”- ମୁଁ ପଚାରିଲି।
“କଣ ଆଉ କରିବି ବାବୁ। ବିଲ ଦି ଏକର ଖଣ୍ଡେ କରିଛି ସେପଟ ସାହି ବନା ମିଶ୍ର ଆଜ୍ଞାଙ୍କର। ଏ ଦଇବ ମାଡ଼ ଏକା ବେଳକେ ପଡ଼ିବାର ଥିଲା? ସେପଟେ କରୁନା ଏପଟେ ବଢ଼ି। ୩ଦିନ ତଳେ ଧାନ ରୋଇଥିଲି ଯେ ସବୁ ସେ ବାଡିପୋଡା ଧନୁଆ ନଈ ପାଣିରେ ବୁଡିକି ଅଛି। କଣ ଖାଇବୁ କିମିତି ରହିବୁ? ସରକାର କିଛି ବୁଝୁନି ଆମ କଥା।” ଆଖି ଛଳ ଛଳ ହୋଇଗଲା ତା’ର। ମୁଁ ବି କଣ କହିବି ହଠାତ୍ କିଛି ମୁଣ୍ଡକୁ ଜୁଟିଲାନି।
” ହଉ। କାଲିଠୁ ଆମ ଘରକୁ କାମ କରିବାକୁ ଆସିବ।” ବାସ୍ ଏତିକି ହିଁ କହି ପାରିଲି ତାକୁ ଆଉ ଚାହା ଗ୍ଲାସ୍ ଟିକୁ ଥୋଇଦେଇ ପଳେଇ ଆସିଲି।