
(A Story by- Swagat Kumar Sahu)
ଆମେ ଦୁହେଁ ସେତେବେଳେ ଭୁବନେଶ୍ୱର ଜୀ ମିଡ଼ିଆରେ ଇଣ୍ଟର୍ନସିପ କରୁଥାଉ । ଦିନ ସାରା ରିପୋର୍ଟିଂ ପରେ ସଂଧ୍ୟା 4 ଟାରେ ସ୍କ୍ରିପ୍ଟ ଲେଖା ଆରମ୍ଭ ହୁଏ । ଯେଉଁ ସ୍କ୍ରିପ୍ଟ ଲେଖା ହୁଏ ତାହା ପୁଣି ପ୍ରାଇମ ଟାଇମ ପାଇଁ । ତେଣୁ ବ୍ୟୁରୋ ମୁଖ୍ୟଙ୍କ କଡ଼ା ନିର୍ଦ୍ଦେଶ ରହିଥାଏ ।
ସବୁ ସାମ୍ବାଦିକ ହର୍ବାଲ “ଚା” ଜୀ ଲୋଗୋ ଥିବା ବଡ଼ କପରେ କପେ ପିଇବାକୁ ବାଧ୍ୟ । ହର୍ବାଲ “ଚା” ମାନସିକ ଶାନ୍ତି ଦେବା ସହ ଭଲ ସ୍କ୍ରିପ୍ଟ ଲେଖିବାରେ ସାହାଯ୍ୟ କରେ ଏହା ବ୍ୟୁରୋ ମୁଖ୍ୟଙ୍କ ଧାରଣା ଥିଲା । ଏହା କିଛିକାଂଶରେ ଠିକ ବି ।
ବାସ ତୋ ସହ ରହି ଅଧା “ଚା” ପିଇବା ଅଭ୍ୟାସ ମତେ ଧରା ପକାଇ ଦେଇଥିଲା । ପୁରା କପ୍ “ଚା” ସାରିବାକୁ 40 ମିନିଟ ଲାଗିଥିଲା ମୋତେ । ଶେଷରେ ବ୍ୟୁରୋ ମୁଖ୍ୟ ମଜାରେ କହିଥିଲେ ସ୍ବାଗତ ତମେ “ଚା” ଜଲଦି ପିଇବା ଶିଖିନାହଁ, ତମେ କେବେ ଅଫିସର ହୋଇ ପାରିବନି ।
ତୋର ବି ସେହି ଅବସ୍ଥା ଟିକିଏ ଅଧିକ ଚିନି ପଡିଥିବା ଗରମା ଗରମ ଖିର “ଚା” ତୁ ପିଇବାକୁ ଭଲପାଉ । ଏକଥା ମୁଁ ଜାଣିଥିଲି । ସେଦିନ ହର୍ବାଲ “ଚା” ପିଇବା ସମୟରେ ତୁ ମୋତେ 12 ଥର କଣେଇ କି ଚାହିଁ ଥିଲୁ । ଆଖିରେ କହିଥିଲୁ ମୋତେ ଏ “ଚା” ଭଲ ଲାଗୁନି ବୋଲି ।
ମୁଁ ଟିକିଏ ହସିଦେଇ ଥିଲି ନିଶ୍ଚୟ । ଆଉ ଦିନେ ମନେ ଅଛି ଆମେ ରିପୋର୍ଟିଂ ପାଇଁ ସିଆରପିଏଫ ମୁଖ୍ୟାଳୟ ଯାଇଥିଲୁ । ନିଜେ ସିଆରପିଏଫ ଆଇଜି ଗରମ ଖିର “ଚା” ପରଶି ଥିଲେ । ଏନଆଇ ସାମ୍ବାଦିକଙ୍କୁ ମିଶାଇ ଆମେ ପାଞ୍ଚ ଜଣ ଥିଲୁ କପେ “ଚା” କମ ଆସିଥିଲା ।
ଆଇଜିଙ୍କ ନିର୍ଦ୍ଦେଶରେ ଆଉ ଗୋଟେ କପ “ଚା” ଆଣିବାକୁ ପିଅନ ଚାଲିଗଲା । ତୋତେ “ଚା” ମିଳିଥିଲା, ମୁଁ ଅପେକ୍ଷା କରିଥିଲି ପିଅନ “ଚା” ଆଣିଲେ ମୁଁ ପିଇବି ବୋଲି । “ଚା” ଟିକିଏ କମ ଗରମ ଥିଲା । ତେଣୁ ତ କପରୁ ଗୋଟିଏ ସିପ ପିଇଲା ପରେ ମୋ ଆଡକୁ ବଢେଇ ଦେଇଥିଲୁ । କହିଥିଲୁ ଏ “ଚା” ତୁ ପିଇଦେ, ଗରମ “ଚା” ଆସିଲେ ମୁଁ ପିଇବି । ଚିନା ମାଟି କପ୍ ରେ ଖାଣ୍ଟି ଖିର “ଚା” ମୁଁ ପିଇ ଦେଇଥିଲି । 20 ମିନିଟ ବିତିଗଲା, “ଚା” ଆସୁନି । ରିପୋର୍ଟିଂ କମ ସେଦିନ ବୋଧହୁଏ “ଚା” ଓ୍ବେଟିଂ ଅଧିକ କରିଥିଲୁ । ଶେଷରେ ତୋ ପାଇଁ “ଚା” ଆସିଲା ।
ହର୍ବାଲ ୟେଲୋ “ଟି” ।
ତୁ ମୋ ଆଡେ ରାଗିକି ଅନେଇ ଥାଉ । ମନରେ ଭାବୁଥିଲୁ କାହିଁକି ଖାଣ୍ଟି ଖିରର “ଚା” ସ୍ବାଗତକୁ ଦେଇଦେଲି । ସିଆରପିଏଫ ଆଇଜି ସାହେବ ତୋତେ “ଚା” ପିଇବାକୁ ବାଧ୍ୟ କଲେ। କୌଣସି ଉପାୟ ନପାଇ ଦୁଇ ସିପ ପିଇ ଥିଲୁ । ହା ହା , ଏମିତି କାହାର “ଚା” କୁ ନେଇ ଅଭୁଲା ସ୍ମୃତି ଥିବ, ମତେ କାଇଁ ଲାଗୁନି ।
ୟୁନିଭରସିଟି ସରିଲା । ସାମ୍ବାଦିକତା ପଢି ସାରି , ଆମେ ସାମ୍ବାଦିକ ବି ହେଲୁ । ଏବେ ଖାଲି ସେ “ଚା” ଟି ସ୍ମୃତିରେ ରହିଛି ।
Follow us at Instagram/Twitter @thetowntea
Read More: ଚାହା