ଚାହା


Shailabala Behera
“ଆଜିଠୁଁ ତମ ଗୀନ୍ ଟିରେ ତୁଳସୀ ପତ୍ର ପକାଅ ।ତୁଳସୀ ପତ୍ର ରୋଗ ପ୍ରତିରୋଧ କରେ ପରା! “
ଝିଅ କହିଲା,ଦେଖୁନ କି ଟି,ଭି ।କରୋନା ଟ୍ରିଟ୍ ମେଣ୍ଟ ରେ କେଵଳ ଦେହର ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମେଡିସିନ ଦିଆ ଯାଉଚି ।’
ତୁଳସୀ ପତ୍ର !
ଚାହା ରେ !
ଅନ୍ୟ ମନସ୍କ ହେଇଗଲା ମନଟା ।
ଖରା ଛୁଟି ଵେଳେ ଵୋଉ ଯାଇଥିଲା ମାମୁଁଁ ଘରକୁ ।ଵାଆ ଖାଉଥିଲା ଖୁଡି ପାଖରେ ।ଶୋଉଥିଲା ବାଟ ନଙ୍ଘାରେ ।ବୋଉ ଖୁଡି ଭିତରେ ଟଣା ଓଟରା ଲାଗି ଦି ଭାଇ ଭିନେ ହେଇଗଲେ। ବଡ ପୁଅ,ବଡଭାଗ ,ପୂର୍ବ ପଟ ।ସାନର ପଶ୍ଚିମ ।ଆମ ଭାଗରେ ପୁରବନ୍ଦୀ ଘରର ପୂର୍ବ ପଟ ଘର ।ଆମେ ପାଞ୍ଚ ଭାଇଭଉଣୀ ,ବାପା ବୋଉ ଗୋଟେ ରୁମ୍ ରେ ତ ଦାଦା ଖୁଡି ପିଲା ଛୁଆଙ୍କୁ ନେଇ ପଶ୍ଚିମ ପଟେ ।ବାଟ ନଙ୍ଘାଟା ଇଜମାଇଲି ,ବାଆର ଜାଗା ।
ଆଲୋ ଭଙ୍ଗେଇ, ଉଠିବନି କି!
ଖରାଵେଳ ନିଦ ଭାଙ୍ଗିଗଲା ।ବାଆ ଆମ ଚାରି ଭଉଣୀଙ୍କି ଭଙ୍ଗେଇ ଵୋଲି ଡାକୁଥିଲା ।ଵାଆ ଭାଷାରେ ମୋ ବାପା କାହାରି କଥା ନ ମାନି ଝିଅକୁ ପାଠ ପଢଉଥାନ୍ତି, ତେଣୁ ଏଙ୍କର ବାହାଘର ବାରବାର ଭାଙ୍ଗିବା ଥୟ ।ମୁଁ ଜାଣେନି,ବାହାଘର ଭାଙ୍ଗି ବା ଡର, କି ଯଉତୁକ ଦାୟରେ ତା ଵଡପୁଅର ଅଣ୍ଟା ଭାଙ୍ଗି ବାର ଡର ତାକୁ ଅଥୟ କରୁଥାଏ,ଜାଣିଥିଲେ ଜାଣିଥିବ ସିଏ ଏକା ।
ଵାଆ ପେଟରେ ଲୁଚେଇ ଦିଏ କଥାସବୁ ।
ବୋଉ ଖୁଡି ର କଜିଆ ।
ତାକୁ ନେଇ ଦି ଯାଆଙ୍କ ଭାଗବଣ୍ଟା ।
କି ଆମ ଭାଗରେ ଥିଲେ,ଖୁଡି ଠୁ ଶୁଖୁଆ ତରକାରୀ ମାଗି ଖାଇଵା କଥା ।
କହିଲେ ,କହୁଥିଵ,ଗୁରାବୁଢୀକୁ,ରାତିରେ, ସପନରେ ।
ଆମ ଚାରି ଭଉଣୀ ଙ୍କ ଭିତରେ ନାନୀ ସୁଧାର ।ବେଳ ଅଵେଳରେ ଵାଆର ବୋଲହାକ କରିଦିଏ ।ସିଏ ଏବେ ରାନ୍ଧି ବନି,ଵୋଉ କହିଯାଇଚି,ନାନୀର ଦିହ ଖରାପ ,ପାଞ୍ଚ ଦିନଯାକେ ।
ନାନୀ ଭାରି ଢଙ୍ଗେଇଟା ।ମାସରେ ଥରେ ବୋଉ ନାନୀ ପଟିଆ ହେଇଯାଏ ।ଗାଁ କୂଅରୁ ମୋତେ ହିଁ ପାଣି ଵହିବାକୁ ପଡେ ।ଅବଶ୍ୟ ଵୋଉକୁ ଲୁଚେଇ ଖୁଡି ଦାଣ୍ଡ ତାଟିଯାଏ ବହିଆଣେ ମୋ ଗରା ,ବଦଳରେ,,ପ୍ରାୟ ସମୟରେ,ଵାପା ପାଖରେ ବୋଉ ଖୁଡି ନାଆଁ ରେ କି କଥା ହୁଏ ,ସଵୁକୁ ମୁଁ ମୁଁ ତାକୁ କହିଦିଏ,ଟିକିଏ ବି କାଟ୍ ଛାଣ୍ଟ ନ କରିବା ନ୍ୟାୟ ରେ ।।।
ଵାଆ ଖରାବେଳେ କିମିତି ଶୁଏ ଯେ ।
ଵୋଉ କହେ,ଵାଆ ମିଛିମିଛିକା ଘୁଙ୍ଗୁଡ଼ି ମାରେ ।
ଅସଲରେ ସଵୁ ଶୁଣୁଥାଏ ।
ବାଆ ଘୁଙ୍ଗୁଡ଼ି ମାରେ ।ତା ତୁମ୍ପୁଡା ପେଟ ହଲଚଲ ହୁଏ ।
ଖୁଡି କହୁଥିଲା,ତୁମ୍ପୁଡା ପେଟିଆ ସଵୁ ଖାଏ ।
ଢୋଲାର ପେଟଟା ବାହାରି ଥାଏ ।
ବୋଉ ଆଉ ବାଆର ପେଟ ତୁମ୍ପୁଡା ।ଯେତେ ଖାଇଲେ ଜଣାପଡେନି ।ଖୁଡି ପଢୁଆଁଁ ।ପଢୁଆଁଁ ଛୁଆ ଢୋଲାପେଟିଆ ।
ଖୁଡି ଲୁଚେଇ ଖାଇ,ଵୋଉ ଆଉ ବାଆ କାଳେ କଥାହବା ଵେଳେ ସେ ନିଜେ ଶୁଣିଛି !
ଵାଆ ଫେର୍ ଡାକିଲା,ଆଲୋ ମଝିଆଁ ଭଙଙ….
ତା ପାଟିରୁ କଥା ନ ସରୁଣୁ,ମୁଁ ଚିଲ୍ଲେଇ ଲି,ଭଙ୍ଗେଇ କହିଲେ,ଶୁଣିଵିନି ଜମ୍ମା,
ଵାଆ ନରମ ପଡିଗଲା,ତୋତେ ଆଉ କେବେ ଵି ଡାକିବିନି ସେମିତି । ।ଗୋଟେ କାମ କରିଦବୁ !ତା ଆଖି ଚକ୍ ଚକ୍ କରୁଥିଲା କି ଗୋଟେ ଖୁସିରେ ।
ଡାକିବୁନି ତ!
କେଵେ ବି !
ଏକା ମତେ !
ମୋ ମୁଁ ହଁ ଟା ପୋଡିଉଠୁଥିଲା ,ସେଦିନ ସାର୍ ମାନେ ଛୁଆ ଖୋଜି ଆସିଥିଲେ ଗାଁ କୁ ।ସେ ମାଙ୍କଡ଼ ମୁହାଁ ହରିଆ ଆସିଥିଲା ସାଙ୍ଗରେ, ବାଟ ଦେଖେଇ ।ଶୁଣିକି ଗଲା ଯେ,ଵେଳ ଅଵେଳରେ ଆଜି ବି ଖତେଇ ହଉଚି ଶେଣୀ ଛୁଆଁ କୁ କହିଦଵ ବୋଲି ।କଇଁ ଆ ମଞ୍ଜି କି ଆମ୍ବୁଲ,ସବୁରୁ ବଡ ଭାଗଟେ ନଉଚି ଝାମ୍ପି ।
ଵାଆ ଆଖିରେ ନରମ ଖୁସି ।ମୁଁ ଭିଡେଇଲି କାନ,ତା ମୁହଁ ପାଖେ ।
ଚିନି ଟିକେ ଆଣିଵୁ,ରଖିଚି ତୋ ଵୋଉ ଲୁଚେଇ କି,ତମ ଶୋଇବା ଘରେ ।।।
ଆଏଁ ।
ଚମକି ପଡିଲି ମୁଁ ।ଆମ ଶୋଇବା ଘର କାନ୍ଥଦାଢରେ ବାଉଁଶ ଭାଡି ।ଅଜାଘରୁ ଵୋଉ ଆଣିଥିବା ଟ୍ରଙ୍କ ବାକ୍ସରେ ରଖେ ତା ଶାଢ଼ୀ, କପୁର (କର୍ପୂର) ଦେଇ ।ଖୋଲିଲେ ଵାସେ ମହମହ ।ବାପାଙ୍କ ବାହା ଧୋତି ଆଉ ବାବୁଲିର ହଳେ ରାଜା ଜାମା,ଯୋଉଟା ଏକୋଇଶ ଆ ବେଳେ ଆଈ ଆଣିଥିଲା,ଚାରି ଝିଅରେ ଵୋଉକୋଳକୁ ରାଜାପୁଅ ଆସିଥିଲା କହି ।
ତାରି ପାଖରେ ପଟା ଗୋଟେ ପରା ହେଇ ରହେ ସଫାଚିନିର କାଚଜାର୍ । ଖାଲି ବାଆ ଯେତେବେଳେ ଆମ ଘରେ ଖାଏ,ସେଇଵେଳେ ଚାହାରେ ପକେଇବ ଵୋଲି ।
ଵୋଉ କହେ ସଫା ଚିନି ଖାଲି,ରୂପ ସୁନ୍ଦର କଖାରୁ ଵଡି ।
ନାଲି ନାଲି କଳସୀ ଗୁଡ ଦିଆ ନଡିଆ ପୁର,ଚାଉଳ ଖିରି କି କଖାରୁ ଆମ୍ବିଳା ପାସଙ୍ଗରେ ପଡିବ!ସେ ନିଉଛୁଣା ସଫାଚିନି ।!
ହାତ ଆପେଆପେ ଚାଲିଗଲା ପିଠି ଉପରକୁ ।
ତମର ଚିନି ନାହିଁ, ତୋ ଵୋଉ ଗୁଡପିଠା କରେ,ମିନି ଛିଗୁଲାଏ ମୋତେ ।ଗୁରୁବାର ଓଷାରେ ସଫା ନଡିଆ ପୁରର ମଣ୍ଡାକୁ ସମସ୍ତ ଙ୍କୁ ଦେଖେଇକି ଭାଙ୍ଗେ ।ଵୋଉ ଗାଧୋଇ ଗଲାଵେଳେ ଭାଡିଚଢି ତାକୁ ଜାର୍ ଦେଖେଇ ନେଇଥିଲି ଯେ,ଖସଡା ଜାର୍ ଟା ହାତରୁ ଖସି ଛତୁ ।
ଵୋଉର ଅତାଛାଟ ଠୁ ଜାର୍ ଭାଙ୍ଗି ଯିବାର ଦୁଃଖ ଟା ମୋତେ ଢେର୍ ଦିନ କିଲିବିଲି କଲା ।ଜାଗର ଯାତ୍ରା ରୁ ଆଉ ଗୋଟେ ଜାର୍ ଆଣିବା ପର୍ଯ୍ୟନ୍ତ ଚିନି ରହିଲା ମାଟିଠେକିରେ ।ଵର୍ଷା ଦିନେ ଚିନି ତରଳି ପାଣି ହେଇଗଲେ,ମୋ ଉପରେ ନୁହେଁ ଵାଆ ଉପରେ ଗରଗର ହଉଥିଲା ବୋଉ,ଅଲକ୍ଷଣା ଚାହା କାହିଁକି ଖାଅ କହିକି ।।
ଚିନି !
କାହିଁକି!
ଏବେ ତ,ତୋର ଖୁଡି ଘରେ ଖାଇବା ପାଳି ।ତା ଛଡା ଏଇ ଵୁଢା ଦି ପହରେ ଚାଆ!
ଵୋଉ ଭଳି ମୁଁ ତାକୁ ଜବାବ ଦେଲି ।
ବାଆ ଆଉଦିନମାନଙ୍କ ଭଳି ଚିଲ୍ଲେଇ ଲାନି ।ନବାବକୁ ଜବାବ ଦଉଥିବା ଵାଆ ,ସ୍ବରକୁ ଯଥାସମ୍ଭବ ନରମ କରି କହିଲା,’ସକାଳେ ଖାଇଥିଲି,ଵିନା ଚିନିରେ ଲୁଣ ପକା ।ସାନପୁଅ ଚୁଡାଗୁଣ୍ଡଖିଆରେ ଚିନି ସରିଯାଇଚି ।ଆଣିବ, ପଅର ଦିନ ହାଟକୁ ଗଲେ ।ଦାଦା କହିଛି ।
ଦିହଟା ଟିକେ କସମସ କରୁଚି ତ,ଅଦା ଚିନି ଦେଇ ତୁଳସୀ ପତ୍ର ଚାହା ଟିକେ ପିଇଲେ..ଶେଷବେଳକୁ ଵାଆର ସ୍ଵରଟା ମୋତେ ବାପାଙ୍କ ସ୍ବର ଭଳି ଲାଗିଲା ।
ମାଟି ପଲମରେ ତୁଳସୀ ଜଟା ,ତଳବାଡିରେ ଗଜୁରୀଆସୁଥିବା ଅଦାର କଅଁଳ କାଣ୍ଡ, ସଫାଚିନି ଦିଆ ଚାହା ପତ୍ର ଫୁଟୁଥିଲା ଗବଗବ ।
ବାଆ ଆଉ ମୋ ଭିତରେ ଅଲିଖିତ ସର୍ତ୍ତ ।
ଆଜିଠୁଁ ମୁଁ ଭଙ୍ଗେଇ ନୁହଁ କି,ଭଣ୍ଡେଇ ନୁହଁ ଖାଲି ଏଏଇ… ଇ..ଇ
ଵିଶ୍ଵାସ କରନ୍ତୁ, ସେଵେଠୁ ମୁଁ ଶୈଳ,ଶୈଳବାଳା ।
କ’ଣ ଶୈଳମାଡାମ୍ ।ଏଡେ ସୁନ୍ଦର ତୁଳସୀ ପକା ଗ୍ରୀନ୍ ଟି ।ପିଇବା ଆରମ୍ଭ କର ।ଥଣ୍ଡା ହେଇ ଯିବ ଯେ ।”
ଲକ୍ ଡାଉନ୍ ଠୁ ଝିଅ ଘରେ ।ଓ୍ଵାର୍କ ଫ୍ରମ୍ ହୋମ୍ ।କମ୍ପୁଟର ପାଖରେ ବସିବସି ଦେହମୁଣ୍ଡ ଦରଜ ଲାଗୁଚି କହୁଥିଲା ।
ଚାହା କିଏ କଲା!
ମୋ ପ୍ରଶ୍ନ ସରିବା ଆଗରୁ କିଏ ଉତ୍ତର ଦେଲା, ମୁଁ ।
ମୁଁ ଶାଶୁ ଙ୍କୁ ଚାହିଁଲି । ଲକ୍ ଡାଉନ ଵେଳେ ଵଡଯାଆଙ୍କୁ ଫୋନ୍ କରି ମୋତେ ଏଠୁ ନେଇ ଯା କହୁଥିଲେ ଵୋଲି ଦି ଦିନ ହେଲା ମୁଁ ତାଙ୍କ ସାଙ୍ଗରେ ପାଟି ଫିଟଉନି।
ଚାହାଟା ପିଇକି ଦେଖ୍ ।
ଅଦା ପକା ତୁଳସୀ ଚାହା ।ତୋ ଝିଅ ମହୁ ମିଶେଇଛି,ସେଥିରେ ।
ସଫା ଚିନି ପରି ଦିଶିଗଲା ତାଙ୍କ ମୁହଁ ଟା ମୋତେ ।।